Sunday, November 28, 2021

ଚିଲ୍ଲର ପାର୍ଟିର ଚେତାବନୀ

 ଚିଲ୍ଲର ପାର୍ଟିର ଚେତାବନୀ

‘ମାସୁମ୍’ ସିନେମାର ଏଇ କୌତୁକିଆ ଗୀତଟି ଆପଣମାନେ ଶୁଣିଥିବେ -

ଛୋଟା ବଚ୍ଚା ଜାନ କେ ନା କୋଇ 

ଆଁଖ ଦିଖାନା ରେ

ଅକଲ କା କଚ୍ଚା ସମଝକେ ହମେ 

ନା ସମଝାନା ରେ 

ଭୋଲୀ ସୁରତ ଜାନ୍ କେ ହମସେ 

ନା ଟକରାନା ରେ ...

ଛୋଟପିଲା ଅର୍ଥାତ୍ ଶିଶୁମାନଙ୍କୁ ଆମେ ସବୁବେଳେ ଗୌଣ ଦୃଷ୍ଟିରେ ଦେଖି ଆସିଛୁ । ତାକୁ ଅବଜ୍ଞା କରିଛୁ । ଛୋଟ ବୋଲି ଭାବିଛୁ । ଆଇନ ଶାସ୍ତ୍ରରେ ସେ ନାବାଳକ, ଅପ୍ରାପ୍ତବୟସ୍କ। ସେମାନଙ୍କ ପ୍ରତି ଉପଯୁକ୍ତ ବିଚାରବୋଧ ଆମ ସମାଜରେ ନାହିଁ । ନିଷ୍ପତ୍ତି ଗ୍ରହଣରେ ସେ ଗୌଣ । ଅଭିଭାବକ ବା ପିତାମାତା ତାହାର ତତ୍ତ୍ୱାବଧାରକ ଓ ସର୍ବେସର୍ବା ।  ଶିଶୁର ଲାଳନପାଳନ ତଥା ବିକାଶର ଅପୂର୍ଣ୍ଣତା ଦୃଷ୍ଟିରୁ ଏହା କେତେକାଂଶରେ ଠିକ୍, କିନ୍ତୁ ସର୍ବଦା ଠିକ୍ ନୁହେଁ ବୋଲି ଆଧୁନିକ କାଳରେ ଚିନ୍ତାନାୟକମାନେ ଅବତାରଣା କରିଛନ୍ତି ।

ଭାରତରେ ଶିଶୁ ଦିବସର ସୂତ୍ରଧର  ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଶିଶୁମାନଙ୍କ ବିଷୟରେ ସ୍ୱତନ୍ତ୍ର ଚିନ୍ତା ପାଇଁ ଗୋଟିଏ ଅବସର ସୃଷ୍ଟି କରିଥିଲେ । ତାଙ୍କ ମତରେ ଶିଶୁମାନେ  ସେମାନଙ୍କ ପିତାମାତାଙ୍କଠାରୁ ଅଧିକ ବିଜ୍ଞ । ଗୋଲାପ ଫୁଲକୁ ଶ୍ରଦ୍ଧା କରୁଥିବା ନେହେରୁ ପିଲାଙ୍କୁ ବଗିଚାର କଳିକା ବୋଲି ବର୍ଣ୍ଣନା କରିବା ସହିତ ଯେହେତୁ ସେମାନେ ଜାତିର ଭବିଷ୍ୟତ ଓ ଆଗାମୀ ଯୁଗର ନାଗରିକ ସେଥିପାଇଁ ଅତ୍ୟନ୍ତ ସ୍ନେହଶ୍ରଦ୍ଧା ଓ ଯତ୍ନ ସହକାରେ ସେମାନଙ୍କ ଲାଳନପାଳନ ହେବା ଦରକାର ବୋଲି କହିଥିଲେ । ଯେଉଁଠି ବାଜଶ୍ରବା ଋଷି ଆପଣା ପୁଅ ନଚିକେତାକୁ ଯମ ନିକଟକୁ ପଠାଉଥିବା ଘଟଣା ଘଟେ, ସେହି ମାଟିରେ ଏହି ଭାବନା ନିଶ୍ଚୟ ଅଭିନବ । ଗରିବ ଦେଶର ମୂଲିଆଟିଏ ତା ସନ୍ତାନକୁ ପିଲାଟି ଦିନରୁ କାମରେ ଲଗାଇଦିଏ । ଏପରିକି ବିପଦ ପୂର୍ଣ୍ଣ କଳକାରଖାନାରେ ମଧ୍ୟ ଶିଶୁ ଶ୍ରମିକ ନିୟୋଜିତ । କେବଳ ଗରିବ ଦେଶ କାହିଁକି ଶିଳ୍ପବିପ୍ଳବ କାଳୀନ ଇଂଲଣ୍ଡରେ ଗୋଟିଏ ଦିଗରେ ରୋମାଣ୍ଟିକ୍ କବିମାନେ ନିଷ୍ପାପ, ନରୀହ ଶିଶୁଙ୍କୁ ନେଇ କବିତା ଲେଖୁଥିଲେ ଅନ୍ୟପଟରେ ଖଣିଖାଦାନ, କଳକାରଖାନାରେ ଶିଶୁମାନେ କାମ କରୁଥିଲେ । ବିପଦପୂର୍ଣ୍ଣ ଚିମିନି ସଫାକାର୍ଯ୍ୟରେ ସେମାନଙ୍କୁ ନିଯୋଗ କରାଯାଉଥିଲା । କେହିକେହି ଏହି ସମୟକୁ ଶୈଶବର ଇତିହାସରେ କଳଙ୍କମୟ ଯୁଗ ବୋଲି କହିବାକୁ ପଛାଇନାହାନ୍ତି । ଖ୍ୟାତନାମା ଇଂରେଜ କଥାଶିଳ୍ପୀ ଚାର୍ଲସ୍ ଡିକେନ୍ସ ଯେତେବେଳେ ନିଜ ଅବହେଳିତ ଶୈଶବର ବାସ୍ତବ ଚିତ୍ର ପ୍ରକାଶ କଲେ ସେତେବେଳେ ଯାଇ ଗ୍ରେଟବ୍ରିଟେନରେ ସଚେତନତା ବଢ଼ିଲା । ଡିକେନ୍ସଙ୍କ ଡେଭିଡ କପରଫିଲ୍ଡ, ଅଲିଭର ଟୁଇଷ୍ଟ ପ୍ରଭୃତି ଉପନ୍ୟାସରେ ପ୍ରତିଫଳିତ ଶିଶୁମାନଙ୍କ ଦୟନୀୟ ଜୀବନଚିତ୍ରରେ ସାରା ଇଂଲଣ୍ଡ ସମ୍ବେଦନଶୀଳ ହେଲା । କାରଖାନା ଆଇନ ତିଆରି ହେଲା । ଶିଶୁ ଶୋଷଣ କମିଲା । 

ପାଶ୍ଚାତ୍ୟ ସଭ୍ୟତାର ଉଷା କାଳରେ ଦାର୍ଶନିକ ପ୍ଳାଟୋ କହିଥିଲେ, ତୁମେ ପିଲାମାନଙ୍କୁ ତୁମ ଭଳି ହେବାକୁ ବାଧ୍ୟ କରନାହିଁ, ସେମାନଙ୍କ ସମୟ ଅଲଗା । ପ୍ଳାଟୋଙ୍କ ଚିରନ୍ତନୀ ବାକ୍ୟକୁ ମାନନ୍ତି କି ଅଭିଭାବକଗଣ? ପିଲାଙ୍କଠାରେ ନିଜ ମନସ୍କାମନା ପୂରଣ ପାଇଁ ସେମାନେ ଲାଗିପଡ଼ନ୍ତି । କେଉଁଠି ବା ପିତାର ଭୂମିକା ରାଷ୍ଟ୍ର ତୁଲାଇବାକୁ ଯାଇ ଶିଶୁର ନିରୀହ ଜୀବନକୁ ଶୃଙ୍ଖଳିତ କରିଦିଏ । ଶିଶୁଙ୍କ ପ୍ରତି ଅନ୍ୟାୟର ଗୋଟିଏ ଭିନ୍ନ ଦୃଶ୍ୟ ଦେଖାଯାଉଛି । ପିଲାଙ୍କ ପାଇଁ ପିତାମାତାଙ୍କ ସମୟ ନାହିଁ । ସେମାନେ ପିଲାଙ୍କ ପାଖରେ ନାନା ଉପକରଣ ଖଞ୍ଜି ଦେଇ ନିଜ ନିଜ ଜଞ୍ଜାଳରେ ବ୍ୟସ୍ତ ରହୁଛନ୍ତି । ଶିଶୁମାନେ ଚାରିକାନ୍ଥରେ ଆବଦ୍ଧ ରହି ଟିଭି, ମୋବାଇଲ ଲ୍ୟାପଟପ୍ ଆଦିରେ ମସଗୁଲ ରହୁଛନ୍ତି । ପିଞ୍ଜରାବଦ୍ଧ ପକ୍ଷୀ ଭଳି ସେମାନଙ୍କ ଡେଣାରେ ଆଉ ଉଡ଼ିବାର କ୍ଷମତା ରହୁନି । ଆମେରିକାର ସାମ୍ବାଦିକ ରିଚାର୍ଡ଼ ଲୌ ‘ଲାଷ୍ଟ ଚାଇଲ୍ଡ ଇନ୍ ଦ ଉଡ୍ସ’ ବୋଲି ଖଣ୍ଡିଏ ବହି ଲେଖି ଖୁବ୍ ଆଲୋଡ଼ନ ଆଣିଥିଲେ । ଚାରିକାନ୍ଥରେ ଆବଦ୍ଧ ଶିଶୁଙ୍କୁ ସେ ନେଚର ଡେଫିସିଟ୍ ଡିଜର୍ଡ଼ର ପୀଡ଼ିତ ବୋଲି କହିଲେ । ତାଙ୍କ ମତରେ ପ୍ରକୃତି ସହ ସେମାନଙ୍କ ସଂସର୍ଗ ନଥିବାରୁ ସେମାନଙ୍କଠାରେ ଏକାଗ୍ରତାର ଅଭାବ, ମେଦବୃଦ୍ଧି, ଦୁର୍ବଳ ସର୍ଜନଶୀଳତା, ଅବସାଦ ପ୍ରଭୃତିର ପ୍ରାଦୁର୍ଭାବ ଦେଖାଦେଇଛି । ଫଳରେ ସେମାନଙ୍କ ବ୍ୟକ୍ତିତ୍ୱ ଓ ସାମାଜିକ ବିକାଶ ବ୍ୟାହତ ହୋଇଛି । 

ଏସବୁ ସତ୍ତେ୍ୱ ଆଶ୍ୱାସନାର ବିଷୟ ହେଲା, ପିଲାମାନେ ଅଭିଭାବକଙ୍କ ଲକ୍ଷ୍ମଣରେଖା ଡେଇଁ ଆସିଛନ୍ତି । ନଚିକେତା ଯମଙ୍କ ପାଖରୁ ବ୍ରହ୍ମଜ୍ଞାନ ଶିଖି ବାହୁଡ଼ି ଆସେ । ଭାରତର ସ୍ୱାଧୀନତା ସଂଗ୍ରମରେ ବାନର ସେନାଙ୍କ ଭୂମିକା ଅବିସ୍ମରଣୀୟ। ଶହଶହ ଶିଶୁ ଏଥିରେ ସାମିଲ ହୋଇ ସଂଗ୍ରାମକୁ ଆଗେଇ ନେଇଥିଲେ । ଶହୀଦ ବାଜି ରାଉତ, କନକଲତା ବରୁଆ, ଖୁଦୀରାମ ପ୍ରଭୃତିଙ୍କୁ କିଏ ଛୋଟ କହିବ? “ଝଡ଼ଠାରୁ ଆହୁରି ସେ ବଡ଼, ମେଘଠାରୁ ଆହୁରି ସେ କଳା । ସାନ ଦେହେ ଖେଳେ ତାର ଜୀବନର ଅଲିଭା ଚପଳା ।”

ଶିଶୁମାନେ ଛୋଟ ନୁହନ୍ତି - ଏହି ସନ୍ଦେଶ ଦେଇଥିଲା ‘ଚିଲ୍ଲର ପାର୍ଟି’ ସିନେମା । ୨୦୧୧ରେ ତାହା ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବରେ ଜାତୀୟ ପୁରସ୍କାର ଲାଭ କରିଥିଲା । ପ୍ରିୟ ବୁଲା କୁକୁରର ବଞ୍ଚିବା ଅଧିକାର ସାବ୍ୟସ୍ତ କରିବା ପାଇଁ ପିଲାଙ୍କ ସଂଗ୍ରାମର କାହାଣୀ ସହ ସେମାନଙ୍କ ବୁଦ୍ଧିମତ୍ତା, ଆଦର୍ଶବୋଧ, ନିଷ୍ଠାପରତା ଓ ପରିଶ୍ରମ ସେଥିରେ ଅଭିବ୍ୟକ୍ତ ହୋଇଛି । ମୁକୁଳା ଦେହରେ ଚିଲ୍ଲର ପାର୍ଟିର ସଦସ୍ୟମାନେ ପଦଯାତ୍ରା (ଚଡ୍ଡି ମାର୍ଚ୍ଚ) କଲାଭଳି ପ୍ରକୃତି ଓ ପରିବେଶ ପାଇଁ ଲଢ଼େଇକୁ ବାହାରିଲେଣି ଶିଳାଗୃହ ଅନ୍ଧକାରବାସୀ ଶିଶୁ । ସ୍ୱିଡ଼େନର ଗ୍ରେଟା ଥମ୍ବର୍ଗ ସହ ଲିସିପ୍ରିୟା କଗୁଜାମ୍, ଋଦ୍ଧିମା ପାଣ୍ଡେ, ଶାଲଭୀ ସାକ୍ଷୀ, ଜାଡ଼େନ୍ ଆଣ୍ଟୋନୀ, ଟିମୋଚି ନୌଲୁସାଲ ପ୍ରଭୃତି  ପରିବେଶ ଆନ୍ଦୋଳନକୁ ଲମ୍ଫ ଦେଲେଣି । ୧୪ ବର୍ଷର ବାଳିକା ଗ୍ରେଟା ଥମ୍ବର୍ଗ ଜାତିସଂଘରେ ବିଶ୍ୱନେତାଙ୍କୁ ଦେଇଛି ଶାଣିତ ଚେତାବନୀ -

“ଫମ୍ପା ପ୍ରତିଶ୍ରୁତିରେ ତୁମେ ମୋ ସ୍ୱପ୍ନ ଆଉ ପିଲାଦିନ ହରିଲ । ଲୋକେ ଏବେ ଯନ୍ତଣାରେ ସଢ଼ୁଛନ୍ତି, ମରୁଛନ୍ତି । ପ୍ରାକୃତିକ ପରିବେଶ ଲୁଣ୍ଠିତ । ସମୂହ ବିନାଶର ଦ୍ୱାର ଦେଶରେ ମାନବ ଜାତି । ଅଥଚ ତୁମେ ଆର୍ଥିକ ବିକାଶର ପରୀକାହାଣୀ ଶୁଣାଉଛ ଆମକୁ । କେଡ଼େ ସାହସ ତୁମର!”

ନଭେମ୍ବର, ୨୦୨୧

Tuesday, February 12, 2019

କ୍ରିୟାରେ 'ଣି' ପ୍ରତ୍ଯୟ: ଆମ ଭାଷାର ବୈଶିଷ୍ଟ୍ଯ

ଓଡ଼ିଆ କ୍ରିୟାର 'ଣି' ପ୍ରତ୍ୟୟ ଗୋଟିଏ ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ। ଅପକାରକୁ ଭାଷାରେ ଏହା ନାହିଁ। ତେଣୁ ଅନ୍ୟ ଭାଷା ଛାଂଚରେ ରଚିତ ଓଡ଼ିଆ ବ୍ଯାକରଣରେ ଆମ ଭାଷାର ଏହି ମୌଳିକତା ବର୍ଣ୍ଣିତ ହୋଇନାହିଁ।
'ଣି' ପ୍ରତ୍ଯୟର ବିଶେଷତ୍ୱ ହେଲା-
* ଏହା କ୍ରିୟାପଦର ଶେଷରେ ଯୁକ୍ତ ହୁଏ। ଯଥା- ଗଲାଣି, ପଢିଲେଣି।
* ଏହା ବର୍ତ୍ତମାନ ଓ ଆଭ୍ଯାସିକ କ୍ରିୟାରୂପ ବ୍ଯତୀତ ଅନ୍ୟ ସବୁ କାଳ ଓ ଭଂଗୀର କ୍ରିୟାରୂପ ସହିତ ଯୁକ୍ତ ହୋଇପାରେ। * ଭିନ୍ନ ଭିନ୍ନ କ୍ରିୟାପଦ ସହିତ ମିଶି ଭିନ୍ନଭିନ୍ନ ଅର୍ଥ ସୂଚିତ କରେ। ସାମାନ୍ଯ ଅତୀତ ଓ ସମ୍ପନ୍ନ କ୍ରିୟାପଦ ସହ ମିଶି ସମାପ୍ତି ସୂଚକ (ମୁଁ ଗଲାବେଳକୁ ସେ ଫେରିଲେଣି), ଭବିଷ୍ଯତ ଓ ସର୍ତ୍ତମୂଳକ କ୍ରିୟାପଦ ସହ ସମ୍ଭାବ୍ଯ-ସମାପ୍ତି (ରାଗିବଣି), ଅନୁଜ୍ଞା ବା ଆଦେଶାତ୍ମକ ସହ ଅନୁରୋଧ ବା ସମାଦରାତ୍ମକ (ଦେଖନି କେ ବନସ୍ତେ ଅଛଇ) ଅର୍ଥ ପ୍ରକାଶ କରେ।
ଏବେ ନିମ୍ନ ପ୍ରଶ୍ନ ତିନୋଟିର ଉତ୍ତର ବାଛିବା ସହଜ ହେବ।
ପ୍ରଶ୍ନ: 'ଣି' ପ୍ରତ୍ଯୟ କ୍ରିୟାପଦ ___ ଯୁକ୍ତ ହୋଇଥାଏ।
କ. ଆରମ୍ଭରେ,
ଖ. ଶେଷରେ,
ଗ. ମଝିରେ,
ଘ. କେଉଁଟି ନୁହେଁ
ଉତ୍ତର: ଶେଷରେ
ପ୍ରଶ୍ନ: ସେ ଖାଇବଣି। - ଏ ବାକ୍ଯରେ 'ଣି' ପ୍ରତ୍ଯୟ ___ ଅର୍ଥରେ ବ୍ଯବହୃତ।
କ. ସମାପ୍ତି
ଖ. ସମ୍ଭାବ୍ଯ
ଗ. ଅନୁଜ୍ଞା
ଘ. ଭବିଷ୍ଯତ
ଉତ୍ତର: ସମ୍ଭାବ୍ଯ-ସମାପ୍ତି
ପ୍ରଶ୍ନ: 'ଣି' ପ୍ରତ୍ଯୟ ___ ଭାବରେ ବିବେଚିତ ହୁଏନାହିଁ।
କ. ସମ୍ଭାବ୍ଯ
ଖ. ବର୍ତ୍ତମାନ
ଗ. ଅନୁଜ୍ଞା
ଘ. ଭବିଷ୍ଯତ
ଉତ୍ତର: ବର୍ତ୍ତମାନ

Monday, February 11, 2019

A S O ଓଡ଼ିଆ ପ୍ରଶ୍ନ :


ପ୍ରଶ୍ନ : ଆଭିମୁଖ୍ୟଯୁକ୍ତ କ୍ରିୟାପଦ ସର୍ବଦା ----- ହୋଇଥାଏ ।
                କ. ସରଳ କ୍ରିୟା, ଖ. ସହାୟକ କ୍ରିୟା, ଗ. ଯୌଗିକ କ୍ରିୟା, ଘ. କେଉଁଟି ନୁହେଁ

                ଶେଷ (ଘ) ଉତ୍ତରଟିକୁ ଶେଷକୁ ରଖି ପ୍ରଥମେ ଅନ୍ୟ ତିନି ସମ୍ଭାବ୍ୟ ଉତ୍ତର ପରୀକ୍ଷା କରାଯାଉ ।
                (କ) ସରଳ କ୍ରିୟା - ଏହାକୁ ଏକକ କ୍ରିୟାମଧ୍ୟ କୁହାଯାଏ (ଧନେଶ୍ୱର ମହାପାତ୍ର), କାରଣ ଏଥିରେ ଗୋଟିଏ ଧାତୁ ଓ ଗୋଟିଏ ବିଭକ୍ତି ଥାଏ । ଯଥା, ଖେଳେ (ଖେଳ୍+ଏ), ଖେଳନ୍ତି (ଖେଳ୍+ଅନ୍ତି), ଖେଳୁ (ଖେଳ୍+ଉ) । ଏ, ଅନ୍ତି, ଏଗୁଡ଼ିକ କ୍ରିୟାର ପୁରୁଷ ଓ ବଚନ ସଙ୍କେତ ଥିବା ବିଭକ୍ତି । ପ୍ରଫେସର ଖଗେଶ୍ୱର ମହାପାତ୍ର ଏହାକୁ ସରଳକ୍ରିୟାର ଗୋଟିଏ ପ୍ରକାର (ମୌଳିକ ସରଳ ରୂପ = ପ୍ରକୃତି+ପୁରୁଷ ଓ ବଚନ) କହି ଏହାର ଆଉ ଏକ ପ୍ରକାର ଥିବା ଦର୍ଶାଇଛନ୍ତି । ତାହାର ରୂପ ହେଲା ପ୍ରକୃତି+କାଳ /ଭାବ+ପୁରୁଷ ଓ ବଚନ, ଯଥା କଲି (କର୍+ଅତୀତ କାଳ ଇଲ+ ପ୍ରଥମପୁରୁଷ ଏକ ବଚନ ଇ) । ତେବେ ଉଭୟ ପ୍ରକାର ସରଳକ୍ରିୟାରେ ଆଭିମୁଖ୍ୟଯୁକ୍ତ ନାହିଁ । ତେଣୁ (କ) ଠିକ୍ ନୁହେଁ ।
                (ଖ) ସହାୟକ କ୍ରିୟା ସହାୟକ କ୍ରିୟା, କ୍ରିୟାର ଅଂଶବିଶେଷ, ସ୍ୱତନ୍ତ୍ର କ୍ରିୟାପଦ ନୁହେଁ । ଓଡ଼ିଆରେ ମାତ୍ର ଦୁଇଟି ସହାୟକ କ୍ରିୟା ଅଛି, ଯଥା - ଅଛ୍ ଓ ଥା । ତେଣୁ (ଖ) ମଧ୍ୟ ଠିକ୍ ନୁହେଁ । ଏବେ ପରବର୍ତ୍ତୀ ସମ୍ଭାବ୍ୟ ଉତ୍ତରକୁ ପରୀକ୍ଷା କରିବା ତାହା ଠିକ୍ କି ନୁହେଁ।
                (ଗ) ଯୌଗିକ କ୍ରିୟା ସମାପିକା କ୍ରିୟା ଦୁଇ ପ୍ରକାର ସରଳ ଓ ଯୌଗିକ । ସରଳକ୍ରିୟା ସମ୍ପର୍କରେ (କ)ରେ ଆଲୋଚନା ସରିଛି । ସରଳ କ୍ରିୟାରେ ଆଭିମୁଖ୍ୟ + ସହାୟକ କ୍ରିୟା + ପୁରୁଷ ଓ ବଚନ + କାଳ ଓ ଭାବ ଯୁକ୍ତ ହେଲେ ତାହା ଯୌଗିକ କ୍ରିୟାପଦରେ ପରିଣତ ହୁଏ। ଯୌଗିକ କ୍ରିୟାରେ ଦୁଇଟି କ୍ରିୟା ଥାଏ ପ୍ରଥମ କ୍ରିୟାରେ ଆଭିମୁଖ୍ୟ ଓ ଦ୍ୱିତୀୟ ବା ସହାୟକ କ୍ରିୟାରେ ପୁରୁଷ, ବଚନ ଓ କାଳ ଯୁକ୍ତ ଥାଏ। ତେଣୁ ଯୌଗିକ କ୍ରିୟାରେ ଅଭିଭୁଖ୍ୟ ଯୁକ୍ତ ହୋଇଥାଏ ।
ଓଡ଼ିଆରେ ଅଭିମୁଖ୍ୟ ଦୁଇଟି : ଅସଂପନ୍ନ (ଉ) ଓ ସଂପନ୍ନ (ଇ) । ଉଦାହରଣ ସ୍ୱରୂପ ଯାଉଥିଲା ଓ ଯାଇଥିଲା : ଉଭୟରେ ଥିଲା ସହାୟକ ବା ଦ୍ୱିତୀୟ କ୍ରିୟା ହେଲାବେଳେ ପ୍ରଥମ କ୍ରିୟା ଯା ସହିତ ଉ ଓ ଇ ଆଭିମୁଖ୍ୟ ଯୁକ୍ତ ହୋଇ କାର୍ଯ୍ୟର ସଂପନ୍ନ ବା ଅସପଂନ୍ନ ସୂଚାଉଛି । ତେଣୁ ଯୌଗିକ କ୍ରିୟାରେ ଆଭିମୁଖ୍ୟ ଯୁକ୍ତ ହୋଇଥାଏ । ବ୍ୟାକରଣକାର ସ୍ପଷ୍ଟ ନିର୍ଦ୍ଦେଶ କରିଛନ୍ତି, “ଆଭିମୁଖ୍ୟଯୁକ୍ତ କ୍ରିୟାପଦଗୁଡ଼ିକର ରୂପ ଯୌଗିକ
                ଅତଏବ (ଗ) ଉତ୍ତରଟି ଠିକ୍ ।
(ଘ) ଚର୍ଚ୍ଚା ଅନାବଶ୍ୟକ ।

Sunday, February 10, 2019

ଖାଇଦେଲା – କ୍ରିୟାପଦରେ ‘ଦେଲା’ର ପରିଚୟ କଣ ?


ଖାଇଦେଲା କ୍ରିୟାପଦରେ ଦେଲାର ପରିଚୟ କଣ ?

ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଆଡ଼ିସିନାଲ ସେକ୍ସନ ଅଫିସର ପଦ ପାଇଁ ପରୀକ୍ଷା ୨୦.୦୧.୧୯ ତାରିଖରେ ଶେଷ ହୋଇଛି । ପରୀକ୍ଷା ଦେଇଥିବା କିଛି ପ୍ରତ୍ୟାଶୀ ଓଡ଼ିଆ ଭାଷା ବିଷୟକ ପ୍ରଶ୍ନ ସମ୍ପର୍କରେ ମୋର ମତାମତ ଲୋଡ଼ିଥିଲେ । ମୁଁ ବ୍ୟାକରଣବିତ୍ ନୁହେଁ, କିନ୍ତୁ ଆବଶ୍ୟକ ହେଲେ ଚର୍ଚ୍ଚା କରିଥାଏ । ତେଣୁ ସେମାନଙ୍କୁ ଭାବିଚିନ୍ତି କହିବି ବୋଲି ପ୍ରତିଶ୍ରୁତି ଦେଲି । ଏବେ ସମାଜର ୨.୨.୧୯ ଶନିବାର ସଂସ୍କରଣରେ ଜଣେ ପତ୍ରପ୍ରେରକ ପ୍ରଶ୍ନପତ୍ରର ତ୍ରୁଟିବିଚ୍ୟୁତି ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ତାଙ୍କର ଅଭିଯୋଗ ହେଉଛି, “ଆୟୋଗ ତରଫରୁ ଯେଉଁ ସିଲାବସ୍ ପିଲାମାନଙ୍କୁ ଦିଆଯାଇଥିଲା, ସେ ଆଧାରରେ ପ୍ରଶ୍ନ ତିଆରି ହୋଇନାହିଁ । ୧୦୦ଟି ପ୍ରଶ୍ନ ମଧ୍ୟରୁ ୭୦ରୁ ଅଧିକ କେବଳ କ୍ରିୟାଉପରେ ଆଧାରିତ ପ୍ରଶ୍ନ ଥିଲା ।ତେଣୁ ସେ କହିଛନ୍ତି, “ଯେଉଁ ଓଡ଼ିଆ ଭାଷା ବିଶେଷଜ୍ଞ ଏହି ପ୍ରଶ୍ନଗୁଡ଼ିକ ତିଆରି କରିଛନ୍ତି, ସେ ଦୟା ପୂର୍ବକ କହିବେ କି ସେହି କ୍ରିୟାଗୁଡ଼ିକ କେଉଁ ଓଡ଼ିଆ ବ୍ୟାକରଣ ବହିରେ ରହିଛି କିମ୍ବା କେଉଁ ଶ୍ରେଣୀର ବ୍ୟାକରଣ ପାଠ୍ୟପୁସ୍ତକରେ ପଢ଼ାଯାଉଛି? ପୁନଶ୍ଚ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ଗଣମାଧ୍ୟମରେ ଆୟୋଗ ପ୍ରକାଶ କରନ୍ତୁ ।ପତ୍ରପ୍ରେରକଙ୍କ ପ୍ରଶ୍ନ ବିଷୟରେ ମୋର କିଛି କହିବାର ନାହିଁ । ପଡ଼ିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମୋତେ ମିଶାଇ ସମସ୍ତଙ୍କ ଆବଶ୍ୟକ ହେଉଥିବାରୁ ମୁଁ ତାହାର ଅନ୍ୱେଷଣରେ ପ୍ରବୃତ୍ତ ହୋଇଛି ମାତ୍ର ।
ପ୍ରଶ୍ନ ଖାଇଦେଲା କ୍ରିୟାପଦରେ ଦେଲାଏକ ----- କ୍ରିୟା ।
କ. ସହାୟକ କ୍ରିୟା ଖ. ସାହାଯ୍ୟକାରୀ କ୍ରିୟା ଗ. ମିଶ୍ର କ୍ରିୟା ଘ. ଅମିଶ୍ର କ୍ରିୟା
               
ଦିଆଯାଇଥିବା ସମ୍ଭାବ୍ୟ ୪ଟି ଉତ୍ତର ମଧ୍ୟରୁ ପ୍ରତ୍ୟେକକୁ ପରୀକ୍ଷା କରାଯାଉ । ପ୍ରଥମେ ଘ. ।
ଘ. ଅମିଶ୍ର କ୍ରିୟା ଯେଉଁ କ୍ରିୟା ଗୋଟିଏ ମାତ୍ର ପଦରେ ଗଠିତ ହୋଇଥାଏ । ଯଥା ହସେ, ପଢ଼ିଲି ଖାଇବି । ତେଣୁ ଏହା ସଠିକ ଉତ୍ତର ନୁହେଁ । କାରଣ ଖାଇଦେଲାରେ ୨ଟି ପଦ (ଖାଇ + ଦେଲା) ରହିଛି ।
ଗ. ମିଶ୍ର କ୍ରିୟା ଯେଉଁ କ୍ରିୟା ୨ ବା ଅଧିକ ପଦରେ ଗଠିତ । ଯଥା
                (ଅ) ପଠନ କଲି, ଗମନ କଲି, ଭୋଜନ କରିବି ଇତ୍ୟାଦି
(ଆ) ଇ-କାରାନ୍ତ ଅସମାପିକା କ୍ରିୟାରୁ ପଡ଼୍ (ଖସିପଡ଼ିବା), ଉଠ୍ (ଜାଗିଉଠିବା), ଦେ (ଖାଇଦେବା), ନେ (ଦେଖିନେବା), ଯା (ଚାଲିଯିବା), ପାର (କରିପାରିବା)୍, ସାର୍ (ରାନ୍ଧିସାରିବା), ପକା (କାନ୍ଦିପକାଇବା), ଆଣ୍ (ଉଠାଇଆଣିବା) ପ୍ରଭୃତି ଧାତୁ ଯୋଗରେ ଗଠିତ କ୍ରିୟା
(ଇ)       ମିଶ୍ର କ୍ରିୟା ୩ ଧାତୁ ବିଶିଷ୍ଟ ମଧ୍ୟ ହୋଇପାରେ, ଯଥା ଶୁଣି+ଥାଇ+ପାରେ, କରି+ଦେଇ+ପାରେ
ଏ ଦୃଷ୍ଟିରୁ ଖାଇଦେଲାଗୋଟିଏ ମିଶ୍ରକ୍ରିୟା ହୋଇଥିବାରୁ ଗ. ସଠିକ୍ ଉତ୍ତର, କିନ୍ତୁ ପ୍ରଶ୍ନରେ ଖାଇଦେଲାବଦଳରେ ଦେଲାପଦକୁ କେଉଁ କ୍ରିୟା ବୋଲି ପଚରାଯାଇଛି । ଅର୍ଥାତ୍ ଖାଇଦେଲାମିଶ୍ର କ୍ରିୟା, ଏହାର ପ୍ରଥମଟି (ଖାଇ) ଗୋଟିଏ ଅସମାପିକା କ୍ରିୟା କିନ୍ତୁ ଦେଲାପଦଟି କଣ? ସେଥିପାଇଁ ଆହୁରି ଆଗକୁ ଯାଇ କ, ସହାୟକ କ୍ରିୟା ଓ ଖ. ସାହାଯ୍ୟକାରୀ କ୍ରିୟା ବିଷୟରେ ଜାଣିବା ପାଇଁ ପଡ଼ିବ ।
(କ) ସହାୟକ କ୍ରିୟା କ୍ରିୟାର ବିଭିନ୍ନ ଆଭିମୁଖ୍ୟ ଓ ଭାବ ପ୍ରକାଶ ନିମନ୍ତେ ମୂଳକ୍ରିୟା ସହିତ ଯେଉଁ କ୍ରିୟାର ସଂଯୋଗ ଘଟିଥାଏ । ଏହା ମୂଳ କ୍ରିୟାପଦର ଅସମାପିକା ରୂପର ଅନୁଗାମୀ ହୁଏ ଓ ସମାପିକା କ୍ରିୟାପଦର ରଚନାତ୍ମକ ରୂପଧର୍ମ ଗ୍ରହଣ କରେ । ଆମ ଭାଷାରେ ଏହା ମାତ୍ର ୨ଟି ଯଥା - ଅଛ୍ ଓ ଥା ।
                ଅଛ୍ କରୁଛି (ଅସମ୍ପନ୍ନ ବର୍ତମାନ), କରିଛି (ସମ୍ପନ୍ନ ବର୍ତମାନ)
ଥା ବର୍ତମାନ କାଳକୁ ବାଦ୍ ଦେଇ ଅନ୍ୟ ସମସ୍ତ କାଳ ଓ ଭାବରେ ଅସମ୍ପନ୍ନ ଓ ସମ୍ପନ୍ନ କ୍ରିୟାପଦ ଗଠନରେ ସହାଯତା କରେ । ଯଥା କରିଥିଲି, କରୁଥିବି, କରିଥାନ୍ତା, କରୁଥା ପ୍ରଭୃତି ।
ଏଥିରେ ଦେଲାକ୍ରିୟା ଅନ୍ତର୍ଭୁକ୍ତ ନୁହେଁ, ତେଣୁ ଦେଲାସହାୟକ କ୍ରିୟା ନୁହେଁ ।
(ଖ) ସାହାଯ୍ୟକାରୀ କ୍ରିୟା - ଅଛ୍ ଓ ଥା ସହାୟକ କ୍ରିୟା ବ୍ୟତୀତ ଆଉ କେତେକ ଧାତୁ ମୂଳ କ୍ରିୟାର ଅର୍ଥ ବିଶେଷିତ କରିବା ପାଇଁ ସାହାଯ୍ୟକାରୀ କ୍ରିୟା ରୂପେ ପ୍ରୟୋଗ ହୁଅନ୍ତି ।
(ଅ) ଏମାନେ ସର୍ବଦା ମୂଳକ୍ରିୟାର ଅତୀତ କ୍ରିୟାମୂଳ (ଇ-କାରାନ୍ତ କ୍ରିୟାମୂଳ) ସଙ୍ଗେ ଯୋଡ଼ା ହୁଅନ୍ତି ।
(ଆ) ଏହିସବୁ ସାହାଯ୍ୟକାରୀ କ୍ରିୟାଗୁଡ଼ିକ କେତେବେଳେ ମୂଳ କ୍ରିୟାର ଅର୍ଥକୁ ବିଶେଷିତ କରନ୍ତି । ଯଥା ମୁଁ ଖାଇପାରେ । ସେ କରି ସାରିଲେଣି । ଏ ଦୁଇ ବାକ୍ୟରେ ଖାଇବାର କ୍ଷମତା ଓ କରିବାରେ ନିଷ୍ପନ୍ନତା ପ୍ରକାଶ ପାଉଛି ।
(ଇ)ନଚେତ୍ ସାହାଯ୍ୟକାରୀ କ୍ରିୟା, ମୂଳକ୍ରିୟାର ଅଳଙ୍କାର ପରି ପ୍ରୟୋଗ ହୁଅନ୍ତି । ଯଥାସେ ଖାଇଦେଲା । ଖାଇଦେଲା ଅର୍ଥ ଖାଇଲାତେଣୁ ଏଠାରେ ଦେଲା’ ‘ଖାଇଲାର ଅଳଙ୍କାର ମାତ୍ର । ବେଳେବେଳେ ଅର୍ଥ ଥାଏ, ଯେମିତି କାହାକୁ ନପଚାରି ନମାନି ବା ତରତର ହୋଇ ଖାଇଦେଲା ।
(ଈ) ମିଶ୍ରକ୍ରିୟାର (ଆ) ଅନୁଚ୍ଛେଦରେ ଦିଆଯାଇଥିବା କ୍ରିୟାଧାତୁଗୁଡ଼ିକ ଯଥା ଯା, ଆସ୍, ପାର୍, ସାର୍, ପଡ଼୍, ଉଠ୍, ଦେ, ପକା,ବସ୍, ନେ, ଆଣ୍, ରଖ୍, ଜାଣ୍ ପ୍ରଭୃତି ଏହାର ଅନ୍ୟ ଉଦାହରଣ ।

ଅତଏବ ଖାଇଦେଲାକ୍ରିୟାପଦର ଦେଲାଏକ ସାହାଯ୍ୟକାରୀ କ୍ରିୟା । ଉତ୍ତର ହେଲା (ଖ) ସାହାଯ୍ୟକାରୀ କ୍ରିୟା ।

Tuesday, February 20, 2018


ରକ୍ତ ରଞ୍ଜିତ ଏକୋଇଶି ଫେବୃୟାରୀ

ଡକ୍ଟର ସତ୍ୟ ଷଡ଼ଙ୍ଗୀ

ଫେବୃୟାରୀ ଏକୋଇଶି ବାଂଲାଦେଶର ଗୋଟିଏ ଜାତୀୟ ପର୍ବ ଏହା ସେ ଦେଶର ସ୍ଵାଧୀନତା ଦିବସ ନୁହେଁ କିନ୍ତୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାରାଦେଶରେ ଖୁବ ଗମ୍ଭୀର ଭାବେ ପାଳନ କରାଯାଏ ୧୯୫୨ ମସିହାର ଏହି ଦିନ ପ୍ରଜ୍ଜ୍ୱଳିତ ହୋଇଥିଲା ଅଭୂତପୂର୍ବ ଜାତୀୟତାର ଜ୍ୟୋତି, ଯାହାର କେନ୍ଦ୍ରରେ ଥିଲା ବାଂଲାଦେଶବାସୀଙ୍କ ପ୍ରାଣପ୍ରିୟ ମାତୃଭାଷା : ବଙ୍ଗଳା ଧର୍ମକୁ ପଛରେ ପକାଇ ମାତୃଭାଷାର ଟେକ ରଖିବା ପାଇଁ ଜଣକ ପରେ ଜଣେ ' ଜଣ ଛାତ୍ର ଆତ୍ମବଳି ଦେଇଥିଲେ ସେଦିନ ସେ ଦେଶର ଇତିହାସରେ ସେଥିପାଇଁ ତା' ନାଁ ଭାଷାଶହୀଦ ଦିବସ ବାଂଲାଦେଶୀ ଜାତୀୟତାର ଏକ ଅବିସ୍ମରଣୀୟ ଦିନ- ଏକୋଇଶି ଫେବୃୟାରୀ ଭାଷା-ଶହୀଦ ଦିବସର ଅସଲ ମହତ୍ତ୍ୱ ସେ ଦେଶର ଇତିହାସରେ ଏହାର ଗୁରୁତ୍ୱ ଉପଲବ୍ଧି କରିବାକୁ ହେଲେ ଆମକୁ ଭାରତୀୟ ଉପମହାଦେଶର ବିଭାଜନଠାରୁ ଆରମ୍ଭ କରିବାକୁ ପଡିବ ।  
୧୯୪୬ ମସିହା ଅଗଷ୍ଟ ମାସ ଭାରତୀୟ ଉପମହାଦେଶର ଗଗନ ପବନ କମ୍ପି ଉଠୁଥିଲା ସାମ୍ପ୍ରଦାୟିକ ଧର୍ମର ଜୟ ଜୟକାରରେ ଧର୍ମନାମରେ ଚାଲିଥିଲା ନରସଂହାର ପୂର୍ବ ଭାରତର ବଙ୍ଗପ୍ରଦେଶ ମଧ୍ୟ ସେଥିରୁ ମୁକ୍ତ ଥିଲା କଲିକତା ନଗରୀରେ ଦଙ୍ଗା ଚରମ ପର୍ଯ୍ୟାୟକୁ ଛୁଇଁଥିଲା ଏଇ ସମୟରେ କଲିକତାର ମାଟିଆବୁରୁଜଠାରେ ରହୁଥିବା ବହୁ ଓଡ଼ିଆ ଶ୍ରମିକ ଏଇ ସାମ୍ପ୍ରଦାୟିକ ଗଣହତ୍ୟାର ଶିକାର ହୋଇଥିଲେ ଗାନ୍ଧିଜୀ କଲିକତାରେ ଅନଶନ କରିବାରୁ ଦଙ୍ଗା ପ୍ରଶମିତ ହେଲା କିନ୍ତୁ ତାହାର ଭୟାବହତା ଲକ୍ଷ୍ୟକରି ଭାରତୀୟ ଜାତୀୟ କଂଗ୍ରେସ ଆଉ ଅଖଣ୍ଡ ଭାରତର ସ୍ଵାଧୀନତା ଆଶା ରଖିପାରିଲା ନାହିଁ ଭାଇସରାୟ ଆଡ଼ମିରାଲ ମାଉଣ୍ଟବ୍ୟାଟନ ବିଭାଜନର ଖସଡ଼ା ପ୍ରସ୍ତୁତ କଲେ ସେଥିରେ ବଙ୍ଗପ୍ରଦେଶର ବିଭାଜନ ମଧ୍ୟ ପରିକଳ୍ପିତ ହୋଇଥିଲା ମାତୃଭାଷାକୁ ନେଇ ବଙ୍ଗୀୟମାନଙ୍କର କେବେହେଲେ ମତଦ୍ୱୈଧ ନାହିଁ ତେଣୁ ବିଭାଜନର ନିଶ୍ଚିତ ସମ୍ଭାବନା ଦେଖି ବଙ୍ଗଳାର ମୁସଲମାନ ନେତା ସୁହରାୱାର୍ଦ୍ଦି ହିନ୍ଦୁ ନେତା ଶରତ ଚନ୍ଦ୍ର ବସୁ [ବୋଷ] ଉଭୟେ ମିଶି ସ୍ଥିର କଲେ ଯେ ସେମାନେ ବଙ୍ଗଳା ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ସ୍ଵାଧୀନ ବଙ୍ଗରାଷ୍ଟ୍ର ଦାବି କରିବେ, ବଙ୍ଗକୁ ଖଣ୍ଡ ଖଣ୍ଡ କରାଇଦେବେ ନାହିଁ ଲର୍ଡ ମାଉଣ୍ଟବ୍ୟାଟନ କୁଆଡ଼େ ପ୍ରସ୍ତାବରେ ରାଜିଥିଲେ କିନ୍ତୁ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କଲା ତେଣୁ ଯେତେବେଳେ ବିଭାଜନ ହେଲା ସେତେବେଳେ ଭାଷାକୁ ଛାଡି ଧର୍ମକୁ ଆଧାର କରାଗଲା ମୁଷ୍ଟିମେୟ ଲୋକଙ୍କୁ ସେଦିନ ଧର୍ମ ବଡ ହୋଇ ଦେଖାଗଲା ଅନ୍ନଦାଶଙ୍କର କବିତାରେ ଲେଖିଥିଲେଛାର ତେଲ ଶିଶି ଭାଙ୍ଗିଦେଲା ବୋଲି ସାନ ପିଲାଟା ଉପରେ ଏତେ ରାଗ, ଆଉ ଯେଉଁ ବଡମାନେ ଦେଶଟାକୁ ଭାଙ୍ଗିଦେଲେ ସେମାନଙ୍କ ପାଇଁ....?" ଧର୍ମ ଭିତ୍ତିରେ ପୂର୍ବବଙ୍ଗ ଅଲଗା ହୋଇ ନବଗଠିତ ସ୍ଵାଧୀନ ପାକିସ୍ତାନ ସହ ଯୁକ୍ତ ହେଲା ତାହାର ନୂତନ ନାମ ହେଲା ପୂର୍ବ ପାକିସ୍ତାନ ପଶ୍ଚିମ ପାକିସ୍ତାନଠାରୁ ହଜାରେ ମାଇଲ ଦୂରରେ ବିଚ୍ଛିନ୍ନ ଭାବରେ ଅବସ୍ଥିତ ଏଇ ପ୍ରଦେଶର ଲୋକମାନଙ୍କୁ ମୂଳ ଭୁଖଣ୍ଡର ଲୋକଙ୍କ ସହ ସଂପୃକ୍ତ କରି ରଖିବାକୁ ହେଲେ କେଉଁ ପନ୍ଥା ଅବଲମ୍ବନ କରାଯିବ ସେଥିପାଇଁ ଚିନ୍ତା କରାଗଲା ପାକିସ୍ତାନର ଜାତିର ପିତା ତଥା ଶାସନମୁଖ୍ୟ ମହମ୍ମଦ ଅଲ୍ଲୀଜିହ୍ନା ତାଙ୍କ ପରାମର୍ଶଦାତାଗଣ ଏକକ ଭାଷା ସୂତ୍ର ଅବଲମ୍ବନ କଲେଅର୍ଥାତ୍ ଉଭୟ ଅଞ୍ଚଳର ଲୋକଙ୍କ ଧର୍ମ ଏକ ଥିଲା, ତା ସାଙ୍ଗକୁ ଯଦି ଭାଷା ମଧ୍ୟ ଏକ ହୁଏ ତାହାହେଲେ ଜାତୀୟ ସଂହତି ପ୍ରତିଷ୍ଠିତ ହୋଇପାରିବ ଏଥିପାଇଁ ଉର୍ଦ୍ଦୁଭାଷାକୁ ବଛାଗଲା ଉର୍ଦ୍ଦୁ ହେଲା ସମଗ୍ର ପାକିସ୍ତାନ ରାଷ୍ଟ୍ରଭାଷା, ଯୋଗାଯୋଗର ମାଧ୍ୟମ ତଥା ପ୍ରଶାସନିକ ଭାଷା
ଆରବୀ, ପାର୍ଶି ହିନ୍ଦୀର ମିଶ୍ରଣରେ ସୃଷ୍ଟ ଉର୍ଦ୍ଦୁଭାଷା ଗୋଟିଏ ଅତି ପ୍ରାଚୀନ ଭାଷା ହେଲେ ବି ଉଚ୍ଚକୋଟୀର ଭାବ ତଥା ଆବେଗ ପ୍ରକାଶ ପାଇଁ ଏହାର ଯୋଗ୍ୟତା ଥିବା ବିଷୟ ମିର୍ଜା ଗାଲିବ ପ୍ରଭୃତି କବିଙ୍କ ରଚନାରେ ପ୍ରତିପାଦିତ ଏସବୁ ସତ୍ତେ ଏହି ଭାଷାକୁ ଅଳ୍ପ ଲୋକ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିଲେ ସୈନ ବହିନୀ ତଥା ସରକାରୀ କର୍ମଚାରୀମାନଙ୍କ ଗହଣରେ ଭାଷାର ବିଶେଷ · ପ୍ରଚଳନ ଥିଲା ପ୍ରଫେସର କେ.କେ, ଅଜିଜ କହନ୍ତି, ୧୯୪୮ରେ ଉର୍ଦ୍ଦୁକୁ ପାକିସ୍ତାନର ଜାତୀୟ ଭାଷା ଘୋଷଣା କରାଗଲା ବେଳକୁ ଏହା ଥିଲା ପାକିସ୍ତାନ ଜନତାର ମାତ୍ର ଦୁଇ ଶତାଂଶ ଲୋକଙ୍କ ମାତୃଭାଷା ତେବେ ପଶ୍ଚିମ ପାକିସ୍ତାନ ପାଇଁ ଏହା ବୋଧହୁଏ ସେତେ ଗୁରୁତର ସମସ୍ୟା ରୂପେ ଛିଡ଼ା ହୋଇ ଥିଲା କିନ୍ତୁ ପୂର୍ବ ପାକିସ୍ତାନର ଜନତା ବଙ୍ଗଳାଭାଷୀ ସେମାନଙ୍କ ମାତୃଭାଷା ବଙ୍ଗଳା ଧର୍ମୀୟ  ଆବଶ୍ୟକତା ଦୃଷ୍ଟିରୁ କେହି କେହି ଆରବୀ ଭାଷା ଶିଖିଥିଲେ ମଧ୍ୟ ଉର୍ଦ୍ଦୁଭାଷା ସହ ସେମାନେ ଅଭ୍ୟସ୍ତ ନଥିଲେ କହିଲେ ଚଳେ ଅହୁରି ମଧ୍ୟ ମାତୃଭାଷା ପ୍ରତି ସେମାନଙ୍କ ଆନ୍ତରିକତା ଯଥେଷ୍ଟ ତେଣୁ ଉର୍ଦ୍ଦୁଭାଷା ପୂର୍ବପାକିସ୍ତାନର ଲୋକଙ୍କୁ ଅଡୁଆ ହେଲା ସରକାରଙ୍କ ଭାଷାନୀତି ପ୍ରତି ଜନଅସନ୍ତୋଷ ଦେଖାଦେଲା ପୂର୍ବପାକିସ୍ତାନରେ ସଭାସମିତି ଗଣମାଧ୍ୟମରେ ପୂର୍ବପାକିସ୍ତାନବାସୀ ସେମାନଙ୍କ ଉପରେ ଜୋର କରି ଲଦିଦିଆଯାଇଥିବା ଭାଷାର ଉଚ୍ଛେଦ ପାଇଁ ଦାବି କଲେ ଆପଣା ପ୍ରଦେଶରେ ବଙ୍ଗଳାଭାଷାର ପ୍ରଚଳନକୁ ମାନିନେବାକୁ ସରକାରଙ୍କୁ ପ୍ରବର୍ତ୍ତାଇଲେ କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ ମାତୃଭାଷାର ମର୍ଯ୍ୟାଦା ପାଇଁ ଶିକ୍ଷିତମାନେ ଆଗେଇ ଆସିଲେ କ୍ରମେ ଭାଷା ଆନ୍ଦୋଳନ ଜମାଟ ବାନ୍ଧିଲା ଛାତ୍ରସମାଜ ଏହି ଆନ୍ଦୋଳନରେ ବିଶେଷଭାବେ ସହଯୋଗ କରିଥିଲେ ଆନ୍ଦୋଳନ ଚରମ ପର୍ଯ୍ୟାୟରେ ପହଞ୍ଚିଲା ୧୯୫୨ ମସିହା ଫେବୃୟାରୀ ୨୧ ତାରିଖ ଦିନ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସରକାରଙ୍କ ଭାଷା ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଏକ ପଟୁଆରରେ ବାହାରିଲେ ଉର୍ଦ୍ଦୁଭାଷା ପରିବର୍ତ୍ତେ ପୂର୍ବ ପାକିସ୍ତାନରେ ବଙ୍ଗଳା ଭାଷା ପ୍ରଚଳନ ଥିଲା ସେମାନଙ୍କର ପ୍ରଧାନ ଦାବି ଏହାକୁ ସମ୍ବିଧାନବିରୋଧୀ ଭାବେ ଚିତ୍ରଣ କରି ପଟୁଆରକୁ ଛିନ୍ନଛତ୍ର କରିଦେବା ପାଇଁ ପୋଲିସ ଜରିଆରେ ଚେଷ୍ଟା କରାଗଲା ଛାତ୍ରମାନେ ଭୟରେ ଦବି ବିକ୍ଷୋଭ ପ୍ରଦର୍ଶନ ଅବ୍ୟାହତ ରଖିଲେଶେଷକୁ ପୋଲିସ ଗୁଳି ଚାଳନା କଲା ବଙ୍ଗଳା ଭାଷାର ଜୟଧ୍ୱନି କରି ଛଅ ଜଣ ଛାତ୍ର ଟଳି ପଡିଲେ ମାତୃଭାଷାର ଶ୍ରେଷ୍ଠତା ପ୍ରତିପାଦିତ ହେଲା ସମଗ୍ର ବିଶ୍ୱ ସ୍ତମ୍ଭୀଭୂତ ହୋଇଗଲା ଅବଶେଷରେ ବଙ୍ଗଳା ଭାଷାକୁ ପାକିସ୍ତାନର ଅନ୍ୟତମ ଭାଷା ରୂପେ ସ୍ୱୀକୃତି ମିଳିଲା
ଭାଷା ଆନ୍ଦୋଳନ ହିଁ ବାଂଲାଦେଶର ମୁକ୍ତି ସଂଗ୍ରାମର ବୀଜବପନ କରିଥିଲା ପୂର୍ବ ପାକିସ୍ତାନବାସୀ ଇଂରେଜଙ୍କଠାରୁ ସ୍ଵାଧୀନତା ଲାଭ କରି ନୂତନ ରାଷ୍ଟ୍ରରେ ମୁକ୍ତ ଜୀବନର ଯେଉଁ ସ୍ଵପ୍ନ ଦେଖିଲେ - ଉର୍ଦ୍ଦୁଭାଷା ପ୍ରଚଳନରେ ହିଁ ତାହା ଧୂଳିସାତ୍ ହୋଇଗଲା  ନୂତନ ରାଷ୍ଟ୍ରରେ ମାତୃଭାଷାର ହତାଦର ଦେଖି ସେମାନଙ୍କ ସବୁ ଆଶା ପାଣି ଫାଟିଗଲା ଏହା ଯେ ଆଉ ଏକ ଉପନିବେଶବାହର ଆରମ୍ଭ ତାହା ସେମାନଙ୍କର ହୃଦବୋଧ ହୋଇସାରିଥିଲା ତେଣୁ କୁହାଯାଇଥାଏ ଭାଷା ଆନ୍ଦୋଳନ ହିଁ ରୂପ ବଦଳାଇ ସ୍ଵାଧୀନତା ଆନ୍ଦୋଳନରେ ପରିଣତ ହୋଇଥିଲା ଆଓ୍ୱାମୀ ଲିଗ୍ ନାମକ ରାଜନୈତିକ ସଂଗଠନ ମୁକ୍ତି ଆନ୍ଦୋଳନ ପରିଚାଳନା କରିଥିଲା; ଯାହାର ପରିଣାମ ସରୂପ ୧୯୭୧ ଡିସେମ୍ବର ୧୬ ତାରିଖରେ ପୂର୍ବ ପାକିସ୍ତାନ ବାଂଲାଦେଶ ନାମ ନେଇ ସ୍ଵାଧୀନ ହେଲା
ମାତୃଭୂମି ପାଇଁ ଶହୀଦ ହେବା ହୁଏତ ନୂଆ କଥା ନୁହେଁ, ପୃଥିବୀର କେତେ କେତେ ଦେଶରେ ତାହାର ଉଜ୍ଜ୍ୱଳ ଉଦାହରଣ ରହିଛି କିନ୍ତୁ ମାତୃଭାଷା ପାଇଁ ଅକୁଣ୍ଠ ମମତା ସେଥିପାଇଁ ଆତ୍ମବଳିଦାନ ବିଶ୍ୱ ଇତିହାସରେ ଗୋଟିଏ ବିରଳ ନଜୀର ବୋଧହୁଏ ସାରା ବିଶ୍ୱରେ ବଙ୍ଗଳା ଦେଶ କେବଳ ସେଇ ଗୌରବର ଅଧିକାରୀ ଆଉ ସେଇ ସ୍ମୃତିକୁ ପ୍ରତିବର୍ଷ ପାଳନ କରି ଉଜୀବିତ କରି ରଖିବା ମଧ୍ୟ ବଙ୍ଗଳା ଦେଶବାସୀଙ୍କ ମାତୃଭାଷା ପ୍ରତି ଥିବା ପ୍ରଗାଢ ମମତାର ଜ୍ୱଳନ୍ତ ନିଦର୍ଶନ
 ଧରିତ୍ରୀ ୨୧.୦୨.୨୦୦୦